• sulagnaspeaks 23w

    ପୁଅ

    ସୁଲଗ୍ନା ମହାନ୍ତି #SulagnaSpeaks
    ଫୋନକୁ ପକେଟରେ ପୁରେଇ ପଞ୍ଚାବନ ବର୍ଷର ଉଚ୍ଚପଦସ୍ଥ ଅଫିସର ବାଙ୍କବାବୁ ନିଜ ସତସ୍ତରି ବର୍ଷ ବୟସର ବୁଢ଼ୀ ମା'ର କୋଠରୀଟିରେ ପଶିଲେ | ବାଁ ପଟ ଶରୀର ଚାଲୁନି ମାଁର ପାଞ୍ଚବର୍ଷ ହେଲା | ତେବେ ତାଙ୍କୁ କି ତାଙ୍କ ସ୍ତ୍ରୀ ମୋନାଙ୍କୁ କିଛି କରିବାକୁ ପଡେନାହିଁ ମା'ର | ପୁଳାଏ ଟଙ୍କା ଦେଇ ନର୍ସ ରଖିଛନ୍ତି ନିଜର ପକ୍ଷାଘାତ ଆକ୍ରାନ୍ତ ମା ପାଇଁ | ପୁଣି ତାଙ୍କର ଯେଉଁ ଟୁର ଆଉ ମିଟିଂ!! ସମୟ କାହିଁ?? ସକାଳୁ ସେ ଗଲାବେଳକୁ ମା' ଶୋଇଥାଏ ଆଉ ଘରକୁ ଫେରିଲାବେଳେ ବି | ରବିବାର ଦୁନିଆ ଝାମେଲା | ତେଣୁ ବାଙ୍କବାବୁଙ୍କର ମନେ ବି ନାହିଁ ଶେଷଥର ସେ କେବେ ସେଇ କୋଠରୀକୁ ଯାଇଥିଲେ |

    ମା' ନିଜ ଶରୀରକୁ ତକିଆରେ ଭରାଦେଇ ବସିଥାଏ | ବାଙ୍କବାବୁଙ୍କୁ ଦେଖି ମା'ର ଆଖିରେ ଚମକ | "ଆରେ ମୋ ବାଙ୍କୁଆ କିରେ | ଆସେ ଆସେ |" ନିଜ ବଙ୍କା ପାଟିରେ କହିଲା ମା' |ବାଙ୍କବାବୁ ଆସି ଖଟରେ ବସିଲେ ମା' ପାଖେ |
    ଡାହାଣ ହାତରେ ବାଙ୍କବାବୁଙ୍କ ମୁଣ୍ଡ, ମୁହଁ ଆଉ ଦେହକୁ ଆଉଁସି ଆଉଁସି ମା' କହିଲା, "କେତେ ଶୁଖିଯାଇଚୁ କିରେ ତୁ | ଖିଆପିଆ କରୁନୁ କି? କଳା ପଡିଯାଇଚୁ ପୁରା | ଏ ନିଆଁଲଗା ହାତଟା ଚାଲୁନି | ନହେଲେ କାଞ୍ଜି କଂସାଏ କରିଦେଇଥାନ୍ତି ଯେ ମୋ ଧନଟା ହାପୁଡି ହାପୁଡି ଖାଇଥାନ୍ତୁ | ସାନବେଳେ କେତେ ଯେ ଭଲ ପାଉଥିଲୁ!!"

    ବାଙ୍କବାବୁ ଆଉ କିଛି କହି ପାରିଲେନି | କଣ୍ଠ ଥରିଲା ତାଙ୍କର | ପଚାରିଲେ, "ତୋ ଦେହ କେମିତି ଅଛି ମା'?" ମା' ଟିକିଏ ହସିଲା| ବାଙ୍କବାବୁ ପାଇଜାମା ପକେଟରେ ନିଜ ଫୋନ ଅଣ୍ଡାଳିଲେ | ମା' ଉତ୍ତର ଦେଲା, "ମୁଁ ତ ଭଲ ଅଛି ରେ ବାପା | ହେଲେ ତୁ ଆଉ ବୋହୁ ଏତେ ବ୍ୟସ୍ତ କାଇଁକି? ଆଜି ସେ ବି ଆସିଥିଲା | ମୋ ଦେହ କଥା ପଚାରିଲା | ତା'ପରେ ମୋ ସାଙ୍ଗରେ ଫଟଟେ ବି ଉଠେଇଲା | ତୁ ବି ମୋ ଫଟ ନବାକୁ ଆସିଥିଲୁ କି?"

    ବାଙ୍କବାବୁ ଇତସ୍ଥତ ହେଇଗଲେ | ମା' କହିଲା, "ହଉ ଉଠେଇ ଦେ ଫଟ | ମୁଁ କଣ ଏଇ ରୋଗୀଣା ଦେହରେ ଆଉ ମଣିଷ ଭଳି ଦିଶୁଚି? ହେଲେ ବି ତୁମ ମାନଙ୍କର ମୋ ଫଟ ନବାକୁ ମନ!! କଣ ଯେ କହିବି?" ବାଙ୍କବାବୁ ମା'କୁ ଦେଖିଲେ | ପୁଅ ବୋହୁଙ୍କ ତାଙ୍କ ପ୍ରତି ଶ୍ରଦ୍ଧାଦେଖି ମା'ର ମନ ଖୁସିରେ ଫୁଲି ଉଠୁଥିଲା ବୋଧେ!!

    ବାଙ୍କବାବୁ ଆଉ କିଛି କହିଲେନି | ଆଖି ଓଦା ହେଇଗଲା ତାଙ୍କର | ସେ ପାଇଜାମାରୁ ଫୋନଟିକୁ ବାହାର ନ କରି ପୁଣି ଥରେ ପକେଟରେ ପକେଇଦେଲେ | କିଛି ନ କହି ସେଠୁ ଉଠିକି ଚାଲିଗଲେ | ବୋଧହୁଏ ଭାବୁଥିଲେ କାଲି ମଦର୍ସ ଡେ ଉପଲକ୍ଷେ ଫେସବୁକରେ ତାଙ୍କର ନିଜ ମା' ସାଙ୍ଗେ ଫଟୋ ଅପଲୋଡ଼ ନ ହେଉ ଆଉ ଫେସବୁକରୁ ତାଙ୍କ ଭଳି ଗୋଟିଏ ଧୂର୍ତ୍ତ ପୁଅର ସଂଖ୍ୟା କମିଯାଉ!!!
    ©sulagnaspeaks