• iammanasr 14w

    ସେଇ ମୁହଁ

    ସବୁ ଜଣା ଶୁଣା ଚେହେରା ଭିତରେ ଯେତେବେଳେ ଜଣେ ସଂପୂର୍ଣ୍ଣ ଅଜଣା ଚେହେରା ଟିଏ ଦେଖାଦିଏ, କିଛି ତ ଅଲଗା ଲାଗେ। ଚେହେରା ଟି ଯଦି ସୁନ୍ଦର, ତେବେ ଭଗବାନ ଭରସା। ତାପରେ ତ ପୁରା ସମୟ ସେହି ଚେହେରା କୁ ଖୋଜି ହେବା, ଦେଖା ହେଲେ କଥା ହେବାର ସୁଯୋଗ ଉଣ୍ଡିବା, ଏଇ ସବୁଥିରେ ସମୟ କେମିତି କଟିଯାଏ ଜଣା ହି ପଡ଼େନି।

    ଏମିତି ଗୋଟେ ବାହାଘର ଭୋଜିରୁ ଫେରିଛି ସୁରେଶ। ବୟସ ୨୩, ରୋଜଗାରିଆ ଟୋକା, ପ୍ରେମ ଅନେକ ଥର ହେଇଛି କିନ୍ତୁ ସଂପର୍କର ଗାଡ଼ି ସୁରୁ ହେବା ଆଗରୁ ବନ୍ଦ ହେଇଛି ସବୁଥର। ଅନେକ ଲଭ ଗୁରୁଙ୍କ ପରାମର୍ଶ ପରେ ସେ ଜାଣିବାକୁ ପାଇଛି ଯେ ତାର ଅଛି commitment issue, ମାନେ ପ୍ରେମ ତ ଦରକାର, କିନ୍ତୁ ଦାୟିତ୍ୱ ର ବୋଝ ମୁଣ୍ଡେଇବାକୁ ବାବୁ ପ୍ରସ୍ତୁତ ନୁହଁନ୍ତି। କେମିତି ସୁଧାରିବ ନିଜକୁ ସେ ବାଟ କେହି ବତେଇ ନାହାନ୍ତି କିନ୍ତୁ।

    ଆଜି ଭୋଜିରୁ ଫେରିଲା ପରଠୁ କିନ୍ତୁ ଯେମିତି ସବୁକିଛି ବଦଳି ଯାଇଛି। ଦାୟିତ୍ୱ ନେବାର କ୍ଷମତା, କର୍ତ୍ତବ୍ୟ ନିଭେଇବାର ଯୋଗ୍ୟତା, ଯେମିତି ସବୁ କିଛି ସେ ପାଇ ଯାଇଛି। ସବୁ ଅସମ୍ଭବ ସମ୍ଭବ କରିବ ସେ, ଖାଲି ସେ ଝିଅ ଟି ତାକୁ ମିଳିଯାଉ। ରାତି ସାରା ନିଦ ନାହିଁ, ଆଖି ଖୋଲିଲେ ସେଇ ମୁହଁ, ଆଖି ବୁଜିଲେ ସେଇ ମୁହଁ, ସେଇ ଖିଲି ଖିଲି ହସ, ଯେମିତି ସେ ଏଇଠି ଅଛି, ତାରି ପାଖରେ। ଭାବୁ ଭାବୁ କେତେବେଳେ ଯେ ଆଖି ଲାଗି ଯାଇଛି ସିଏ ଜାଣି ବି ପାରିନି।

    "ଉଠ, ଆଠ ଟା ହେଲାଣି ପରା, ଅଫିସ ଯିବନି କି ଆଜି?", ଚମକି ଉଠିଲା ସୁରେଶ, ଆଖି ମଳି ମଳି ଦେଖେତ ସେଇ ମୁହଁ, ସେଇ ହସ ବୋଳା ମୁହଁ, ନୂଆ ବୋହୁ ବେଶ ହେଇ ତାକୁ ନିଦରୁ ଉଠଉଛି।

    -
    ମାନସ ରଞ୍ଜନ ଦାଶ
    ©iammanasr