• pramodpandavk 15w

    #ଶୃଣ୍ଵନ୍ତୁ_ବିଶ୍ଵେ_ଅମୃତସ୍ୟ_ପୁତ୍ରାଃ

    Read More

    ଆରମ୍ଭ

    ପୃଥିବୀପୃଷ୍ଠ ଓ ସୌର ଜଗତ ମଣ୍ଡଳରୁ ଅନନ୍ତ
    ଦୂରରେ; ମୃତ ନକ୍ଷତ୍ରର ଅନ୍ଧକାର ଗର୍ତ୍ତ ଭିତରେ 
    ଜୀବନ୍ତ ନକ୍ଷତ୍ରମାନେ ପରସ୍ପର ସହ ଯେଉଁଠି ଖେଳନ୍ତି, ତା’ଠୁ ବି ଦୂରରେ ଆଲୁଅ-ଅନ୍ଧାରର
    ତାତ୍ବିକ ଓ ଆତ୍ମିକ ସଜ୍ଞାରୁ ଉର୍ଦ୍ଧ୍ୱରେ, ମହାସ୍ମୃତିର ଗର୍ଭରୁ ଛୁଟି ଆସୁଥିଲା କଣିକାଏ ଈଶ୍ବରରୂପୀ 
    ଅଣୁକଣିକା ଶରୀରଗତ ସଞ୍ଚିତ କ୍ଷୁଦ୍ରସ୍ମୃତିର ସୂକ୍ଷ୍ମ 
    ଶରୀରସହ ପ୍ରାଣମୟକୋଷର ସନ୍ଧାନରେ, ତଳକୁ, 
    ତଳକୁ, ଆହୁରି ତଳକୁ, ପୃଥିବୀପୃଷ୍ଠକୁ ! ଜ୍ଞାନର 
    ଅନ୍ବେଷଣରେ, ପୂର୍ଣ୍ଣତାପ୍ରାପ୍ତି ପୂର୍ବକ ସମ୍ପୂର୍ଣ୍ଣ 
    ଜାଗତିକ ମଙ୍ଗଳକାମନା ଉଦ୍ଦେଶ୍ୟରେ ! 
    ଉପଯୁକ୍ତ ଗର୍ଭ-ଗୃହର ସନ୍ଧାନରେ ! ସେଇଠି ତାକୁ ନୂତନ ଶରୀରରେ ସଂପୂର୍ଣ୍ଣତା ପ୍ରାପ୍ତି ଯାଏଁ 
    ଅପେକ୍ଷା କରିରହିବାକୁ ହେବ ! ଚୈତନ୍ୟର ସ୍ପର୍ଶ 
    ପାଇ ସୀମିତ ସମୟର ଅବଧିରେ ପୁଣି ଥରେ 
    ଶରୀର ନାଶ ପୂର୍ବରୁ ଜ୍ଞାନ ଯେ ତାକୁ ଆହରଣ 
    କରିବାକୁ ହେବ! ଏଥି ନିମନ୍ତେ ଅନନ୍ତଜନ୍ମର 
    କର୍ମସମୂହର ବାହକ ସୂକ୍ଷ୍ମଶରୀରର ଭୂମିକା ଯେ 
    ଅତି ମହତ୍ତ୍ବପୂର୍ଣ୍ଣ। ଚୈତନ୍ୟ ସହ ତାକୁ ଏକାକାର 
    ହୋଇ କର୍ମଫଳ ପ୍ରାପ୍ତ କରିବାକୁ ହେବ।

    ଦୁଇଟି ମାନବରୂପୀ ଶରୀର ଶାରୀରିକ କ୍ଷୁଧାରେ ଜର୍ଜ୍ଜରିତ ପରସ୍ପରର ତୃଷ୍ଣା ମେଣ୍ଟେଉଥିଲେ। ମନ 
    ବାଳସୁଲଭ ଚପଳ ଥିଲା।

    ଦିହିଁଙ୍କ ଏକାଠି ହେବାରେ ତୃତୀୟ ଜଣଙ୍କର 
    ଆଗମନ ଯେ ଅବଶ୍ୟମ୍ଭାବୀ, ଏହା ସେମାନଙ୍କର 
    ଜ୍ଞାନର ବାହାରେ ଥିଲା। ତାଙ୍କର ମିଳନ ଅପେକ୍ଷାରେ 
    ଥିବା ଅଶରୀର ପାଇଁ ଏହି ଗର୍ଭାଶୟରେ 
    ଆଶ୍ରୟନେବା ନିମନ୍ତେ ଏକ ସୁନିୟନ୍ତ୍ରିତ, ସୁକଳ୍ପିତ, 
    ସୁପରିଚାଳିତ ଯୋଜନା ନିୟତିର ଛତ୍ରଛାୟା ରେ ଚାଲିଥିଲା, ଏହା ବି ସେମାନଙ୍କ  କଳ୍ପନାର
    ବାହାରେ ଥିଲା। ତଥାପି ସେମାନେ ତତ୍ପର ଥିଲେ। ସେଥିରେ ନାସମାଜର ଭୟ ଥିଲା, ନା ଥିଲା 
    ସୃଷ୍ଟିର ଚିନ୍ତା। ଯଦି ଥିଲା, ତାହା ବର୍ତ୍ତମାନ ପାଇଁ ଥିଲା। ସମୟର ଆସନ୍ତା ପ୍ରହର କାହା ପାଇଁ ଅପେକ୍ଷାରତ, ସେ ସଂପର୍କରେ ସେମାନେ 
    ଅନଭିଜ୍ଞ ଥିଲେ। ସମୟର ଚକ ରହି ନ ଥିଲା।କ୍ଷୁଦ୍ରସ୍ମୃତି ସୂକ୍ଷ୍ମ ଶରୀର ସହ ଗର୍ଭ-ଗୃହ ମଧ୍ୟରେ ନିଜ ସ୍ଥାନ ନିରୂପଣ କରି ସାରିଥିଲା।


     (I) କ୍ରମଶଃ...
    ©pramodpandavk