• tripathy 15w

    ପେଟପାଟଣା

    ନୁଖୁରା କେଶ ।ଛିଣ୍ଡା ଜାମା । ବୋଧେ କେତେ ଦିନ ହେଲା ଦେହରେ ପାଣି ବାଜିନି । ଦେଶର ଭବିଷ୍ୟତ ସତେ ଯେମିତି ଦେଶର ଦୁ:ସ୍ୱପ୍ନ ପାଲଟିଛି ।ଗେଟ୍ ବାହାରେ ୮,୯ ବର୍ଷର ପିଲାଟିଏ ।ଗେଟ୍ ଭିତରେ ଥାଇ ଲୁସି ଭୁକୁଛି , ସତେ ଯେମିତି ପରିହାସ କରୁଛି ମନୁଷ୍ୟତ୍ୱକୁ । ଲୁସିପାଇ ସୁସ୍ଵାଦୁ ଖାଦ୍ୟ ଧରି ବାହାରକୁ ଆସିଲେ ରମାଦେବୀ ।ଭଳିକିଭଳି ଖାଦ୍ୟ ଦେଖି ଗେଟ୍ ବାହାରେ ଠିଆ ହୋଇଥିବା ଜିତୁର ଆଖି ବଡ ହୋଇଯାଇଥିଲା । ସତେ ଯେମିତି ଟିକେ ଆଶାର ସ୦ଚାର ହେଲା ।ଲୁସିକୁ ଖାଇବାକୁ ଦେଇ ଚିଲ୍ଲେଇଲେ ରମାଦେବୀ , ଏ ଟୋକା ସେଠାରୁ ଯାଆ । ମୋ ଲୁସି ଖାଇବ ।କଣ ଏମିତି ଆଖି କରି ଅନେଇଛୁ ?ବିକଳ ,ଅନୁନୟ ହୋଇ ଜିତୁ କହିଲା ,ମାଆ ତୁମର ଘର ସଫାକରିଦେବି ।ବିରକ୍ତ ହୋଇ ରମାଦେବୀ କହିଲେ , ନା ନା ମୋର ଦରକାର ନାହି ।ଘରସାରା ଦାମୀ ଜିନିଷ ପଡିଛି । ମୁ ଚୋର ନୁହେ ମାଆ ! ସୁନ୍ଦର ସଫା କରିଦେବି ,ମୋତେ ବିଶ୍ଵାସକୟ,ଦୟାକର । ଚିନ୍ତାରେ ପଡିଗଲେ ରମାଦେବୀ ।୨ ଦିନ ହେଲା ନିଆଲଗା ଚାକରାଣୀଟା ବି ଆସିନି ।ଘରସାରା ଅସନା ହୋଇ ପଡିଛି ।ତୁମେ ସାଙ୍ଗରେ ରହିବ ମାଆ । ମୁ ଘର ପୋଛିଦେବି ଓ ସଫା କରିଦେବି । ପୁଣି ଆକୁଳ ହୋଇ କହିଲା ଛୁଆଟି । କେତେ ପଇସା ନେବୁ ଆଗ କୁହ ,ନହେଲେ ପଛରେ ଝମେଲା ।ନାଇ ମାଆ , କାମ ସରିଲେ ଗଣ୍ଡେ ଖାଇବାକୁ ଦେବ । ଶସ୍ତାରେ କାମ ହୋଇଯିବ ଭାବି ରମାଦେବୀଙ୍କର ମନ ଉଲ୍ଲସିତ ହେଲା । ସେ କହିଲେ ଠିକ୍ ଅଛି ,ଆଗ ବାହାରେ ବସି ଖାଇଦେ ତାପରେ କାମ କରିବୁ ।ମନାକଲା ଜିତୁ ।ନାଇ ମାଆ ,କାମ ସରିଲେ ଖାଇବାକୁ ଦେବ କହିଲା ।
    ଘଣ୍ଟାଏ ଲାଗି ସୁନ୍ଦର ଭାବରେ ଘର ସଫା କରିଦେଲା ଜିତୁ । ତାପରେ ବାରଣ୍ଡାରେ ଲୁସି ପାଖରେ ଖାଇବାକୁ ଦେବାକୁ ଉଦ୍ୟତ ହେଲେ ରମାଦେବୀ ।ଛିଣ୍ଡାପକେଟରୁ ପଲିଥିନ୍ ଟିଏ ବାହାର କଲା ଜିତୁ ।ମାଆ , ଏଥିରେ ଦେଇଦିଅ କହିଲା । ମୋ ମାଆ ଖଣ୍ଡିଆ ବୋତଲ ଗୋଟାଇ ଆମକୁ ପୋଷେ ।୪ ଦିନ ହେଲା ତାକୁ ଓ ୨ ବର୍ଷର ଛୋଟଭଉଣୀକୁ ଜ୍ୱର ।ଓଷଧ ମାଗଣାରେ ଆଣି ଦେଇଛି ।ହେଲେ କିଛି ଖାଇଲାପରେ ସେମାନେ ଓଷଧ ଖାଇବେ ।ତେଣୁ ଏ ଖାଇବା ସେମାନଙ୍କ ପାଇ ନେଇଯିବି ।ସେତିକିବେଳେ ରମାଦେବୀଙ୍କ ୭ ବର୍ଷର ପୁଅ ପାଟିକଲା , ମାମା , ମୋ ଜଳଖିଆ କମିଗଲା , ତମ ଜଳଖିଆ ବି ଖାଇଦେଲି ।
    ରମାଦେବୀଙ୍କୁ ଲାଗୁଥିଲା ସତେ ଯେମିତି ଜିତୁର ମଣିଷପଣିଆ ପରିହାସ କରୁଥିଲା ତାଙ୍କୁ । ଆଖିର ଲୁହ ଅଟକୁନଥିଲା ... ।

    ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ
    ଗଜପତି