• binay2018 14w

    ପ୍ରିୟା ପଚାରିଲା

    ପ୍ରିୟା ପଚାରିଲା
    ତୁମେ ମୋତେ ହୃଦୟରୁ ଭଲପାଅ ?
    ମୁଣ୍ଡ ହଲାଇଲି, କହିଲି ନା'
    ସମୁଦାୟ ଗୋଟିଏ ହୃଦୟ ମୋର
    କେତେ କାମ କରିବ ବା ସିଏ?
    ଦିନ ରାତି ଚବିଶ ପ୍ରହର
    ଅବିଶ୍ରାନ୍ତ ରକ୍ତ ବୋହି ବୋହି
    ବିଚରା କେତେ ଥକିଯାଏ !
    ବେଳେ ବେଳେ ଦୟା ଆସେ
    କେତେ କାମ କରୁଛି ମୋ ପାଇଁ,
    ଆଉ କିଛି ନୁଆକାମ କହିବି କେମିତି ?
    ପ୍ରିୟା ଟିକେ ହସିଲା, କହିଲା
    ହଉ ବାବା ହେଲା,
    ହୃଦୟ ନହେଲେ ନାଇଁ
    ମନ ଦେଇ ମୋତେ ପାଇବନା' ଭଲ ?
    ଭାବିଲି,
    ପ୍ରିୟାକୁ କେମିତି ବୁଝେଇଦେବି,
    ମନ ତ ମନୁଆ ଭାରି
    କେବେ କାହା କଥା ମନିଅଛି ଭଲା,
    ମୋ କଥା ବା ମାନିବ କେମିତି ?
    ରାସ୍ତାରେ ଚାଲୁ ଚାଲୁ
    କେବେ ଗୋଲାପ ଦେଖିଲେ
    ତା ପାଖେ ଅଟକି ଯାଏ,
    ଖାଲି ଦେଖେ, ଖୁସି ହୁଏ,
    କିନ୍ତୁ ଗୋଲାପ ମାଗେନା ।
    ମୋର ସମୁଦାୟ ଭଲପାଇବା
    ତୁମପାଇଁ ପ୍ରିୟତମା ମୋର,
    କେବଳ ତୁମରି ପାଇଁ ତ ।
    ପ୍ରିୟାକୁ କହିଲି, ହେ ପ୍ରିୟା
    ଏତେ କଥା ପଚାରୁଚ କିଆଁ,
    ଖାଲି ଏତିକି ଜାଣିନିଅ,
    ମୁଁ ତୁମକୁ ଭଲପାଏ,
    ବହୁତ ଭଲପାଏ
    ଯେତେ ପ୍ରେମ ଆଜିଯାଏ
    କେହି କାହାକୁ କରିନି ।
    ମୁଁ ତୁମକୁ ଭଲପାଏ, କିନ୍ତୁ
    ହୃଦୟରୁ ନୁହେଁ, ମନରୁ ବି ନୁହେଁ,
    ମୁଁ ତୁମକୁ ଭଲପାଏ,
    ମୋର ଗଭୀର ଆତ୍ମାରୁ
    ମୋ ପ୍ରାଣଠାରୁ ବି ଅଧିକ ଭଲପାଏ ।

    ©binay2018