• surya1969 15w

    "ରଜ" -ସେବେର ଏବେର-

    ସୁରେନ୍ଦ୍ର କୁମାର ମଲ୍ଲିକ୍

    ମଉଜର ମହାସମୁଦ୍ରରେ
    ଉତ୍ତାଳ ତରଙ୍ଗ ତୋଳି
    ରଜ ଆସୁଥିଲା ମୋ ଗାଆଁକୁ
    ଆନନ୍ଦର ଜୁଆର ଖେଳାଇ।
    ମୌସୁମୀ ବର୍ଷାର ଶିହରିଣୀ ଗୀତ
    ଭିଜା ମାଟିର ଅତର ବାସ୍ନାରେ
    ଶ୍ରମକ୍ଳାନ୍ତ କୃଷକର ଦାନ୍ତ ନିକୁଟା ହସରେ
    ରଜ ଆସୁଥିଲା କୁଆଁରୀଙ୍କ ସଜବାଜରେ
    ରଜବତୀ ମାଟି ମାଆର ପୂଜାର୍ଚନାରେ
    ବିଦେଶୀ ସ୍ୱାମୀର ବାହୁଡା ଦିନ ଗଣୁଥିବା
    ନବବଧୁର ଆଙ୍ଗୁଳି ଟିପରେ।
    ରଜ ଆସୁଥିଲା ପାଚିଲା ପଣସର
    ମହମହ ମତୁଆଲା ବାସରେ
    ଆମ୍ବ ତୋଟାର ପଟା ଦୋଳିରେ
    ବହୁ ଆକାଂକ୍ଷିତ ନୂଆ ଲୁଗା ପିନ୍ଧାରେ
    ଖିଲି ପାନର ଆରକ୍ତ ଓଠ ଧାରରେ
    ପୋଡପିଠା ନାନା ମିଠା
    ଆଉ ସୁଆଦିଆ ରୋଚକ ବ୍ୟଞ୍ଜନରେ।
    ଲୁଡୁ, ତାସ ଆଉ ପଶା ଖେଳ ସାଙ୍ଗକୁ
    ଗାଆଁ ମୁଣ୍ଡ ପଡ଼ିଆରେ ବାଗୁଡିର
    ମୁଣ୍ଡଫଟା ଘମାଘୋଟ ଲଢେଇରେ
    ରଜ ଆସୁଥିଲା ଗଢିବାକୁ ସମ୍ପର୍କର ସେତୁ
    ଚିହ୍ନା ଅଚିହ୍ନା ମଣିଷ ଗୁଡାଙ୍କୁ
    ବାନ୍ଧୁଥିଲା ମୈତ୍ରୀର ଭାଵ ଶିକୁଳିରେ।
    ଏବେ କିନ୍ତୁ ରଜ ଆସେ
    ଏକ ନିଆରା ପାଶ୍ଚାତୀ ଠାଣିରେ
    ଆମକୁ ଭୁଆଁ ବୁଲାଉଥିବା
    କାମ୍ପାନୀଙ୍କ ଡିସକାଉଣ୍ଟ ଅଫର ସହ
    ଦୋକାନୀଙ୍କ ଦ୍ରବ୍ୟ ପ୍ରଦର୍ଶନୀରେ
    ସରକାରଙ୍କର କର୍ମଚାରୀ ତୋଷଣ ପାଇଁ
    ଦୁଇ/ଚାରି ପ୍ରତିଶତ ଡି.ଏ.ଘୋଷଣାରେ।
    ରଜ ଆଉ ଗାଆଁକୁ ଆସୁନି
    ତା'ଆଧୁନିକି ରୂପର ପସରା ନେଇ
    ଆସୁଛି ସହରର ତାରକା ହୋଟେଲକୁ
    ପାର୍କର ମୁଲାୟମ ଘାସ ଗାଲିଚାକୁ
    ବାସ୍ 'ସଂଜ୍ଞା ତା'ର ନିରୁପିତ ହୁଏ ସେଠି
    ଖାଣ୍ଟି ଓଡ଼ିଆଣି ବେଶ କିମ୍ବା
    ରଜ କୁଇନ ପ୍ରତିଯୋଗୀତାରେ।
    ଏବେ ଆମ ଗାଆଁ ବି କିଛି କମ ନୁହେଁ ମ
    ଏଇ ଦେଖୁ ନ କିମିତି ଆମେ ଆୟୋଜି
    ଚାଲିଛୁ ରଜ ମହୋତ୍ସବ ଫି ବର୍ଷ
    ସମସ୍ତଙ୍କମନେ ରଜ ମଜା ଭରି ଦେବାପାଇଁ
    ଆମେ ନଖେଳିଲୁ ନାହିଁ ,ନ ନାଚିଲୁ ନାହିଁ
    ନଚେଇ ନଚେଇ ବେଦମ କରୁଛୁ
    ଆମ କୁନି କୁନି ପୁଅ ଝିଅଙ୍କୁ ଆଉ
    ଭଡାଟିଆ ରେକର୍ଡ ନାଚ ବାଲିଙ୍କୁ,
    ପଇସା ଦେଇ ଡାକୁଛୁ ସିନେ ତାରକା
    କିମ୍ବା ନାମୀ ଦାମୀ ଯାତ୍ରା ବାଲାଙ୍କୁ।
    ରଜ ତ ବଦଳି ଯାଇଛି
    ବଦଳିଯାଇଛି ଭାଵ ମଣିଷର
    ସଂସ୍କୃତିକୁ ଭଲପାଉଥିବା ଭାଇ ଓ ଭଉଣୀ
    ଫରକ ଜାଣନ୍ତୁନା ରଜ ସେବେ ର ଏବେ ର।।



    ..