• tejaswini_goutami 6w

    ଅସହାୟତା

    ସକାଳୁ ସକାଳୁ ଖବରକାଗଜର ହେଡ୍-ଲାଇନ୍ ଗୁଡ଼ିକ ଅସୀମା ମନରେ ଭରିଦେଇଛି ଏକ ଅବ୍ୟକ୍ତ କ୍ରୋଧ । ମାଁଙ୍କ ଡାକ ଶୁଣି ଖବରକାଗଜପଢା ସେତିକିରେ ରଖି ଘର ପାଇଁ କିଛି ସଉଦା ଆଣିବାକୁ ବାହାରିଲା ପାଖ ଦୋକାନକୁ । ସଉଦା କିଣି ଫେରିବା ବେଳେ ତା' କାନରେ ପଡିଲା ସାହିଟୋକାଙ୍କର ଆକ୍ଷେପିକ ହୁଇସିଲ୍ ଶବ୍ଦ ସହ କିଛି ଅଶ୍ଳୀଳ ଗୀତ । ଏହା ତ କିଛି ନୂଆଁ କଥା ନୁହଁ । ଅସୀମା ଓ ତା'ର ବାନ୍ଧବୀମାନଙ୍କ ସହ ଆଗରୁ ଏମିତି କେତେଥର ଘଟିଛି । ଏହି ପରିସ୍ଥିତିରେ ମୁଣ୍ଡ ନୁଆଁଇ ସେଠାରୁ ଚାଲିଯିବାକୁ ମଧ୍ଯ ସେମାନେ ଆପଣା ଛାଏଁ ଶିଖିଯାଇଛନ୍ତି। କିନ୍ତୁ ଆଜି କାହିଁକି କେଜାଣି ଅସୀମା ଭିତରେ କୁରୁଳି ଉଠୁଥାଏ କ୍ରୋଧର ଲାଭା। ଇଚ୍ଛା ହେଉଥାଏ ଏପରି ଅଶୋଭନୀୟ କାର୍ଯ୍ୟର ଅନ୍ତ ଘଟାଇବାକୁ । ସାହସ କରି ମୁଣ୍ଡ ଉଠାଇ ରାଗ ଜର୍ଜରିତ ଆଖିରେ ଚାହିଁଲା ସେଇ ବୁଲାଷଣ୍ଢଗୁଡାକୁ। ଅସୀମାର ଏହି ବିପ୍ଳବୀ ରୂପ ଦେଖି ହସିଉଠିଲେ ଉଦ୍ଧତ ଦଳ। ତଥାପି ସେ ଦମ୍ଭ ହାରିଲାନି। କାରଣ ସେ ଜାଣିଥିଲା ଯେ, ସେଠାରେ ତା ବ୍ଯତୀତ ଅନ୍ଯାନ୍ଯ ଭଦ୍ର ପ୍ରତ୍ୟକ୍ଷଦର୍ଶୀ ବି ଉପସ୍ଥିତ। ତା' ପ୍ରତି ହୋଇଥିବା କୁଆଚରଣର ପ୍ରତିବାଦରେ ତା'କୁ ନିଶ୍ଚିତ ସହଯୋଗ ମିଳିବ ଭାବି ଚାରିଆଡ଼େ ନଜର ପକାଇଲା। କିନ୍ତୁ ଏ କ'ଣ? ଅନତିଦୂରରେ କିଛି ଭଦ୍ରବ୍ଯକ୍ତି ମୁରୁକିହସା ଦେଇ ଉପଭୋଗ କରୁଥିଲେ ସମ୍ପୂର୍ଣ୍ଣ ଦୃଶ୍ୟକୁ । ଆଉ କିଛି ଗାନ୍ଧୀଜୀଙ୍କ ମାଙ୍କଡ଼ ବ୍ଯସ୍ତ ଥିଲେ ନିଜ ନିଜ କାର୍ଯ୍ୟରେ । ଖୁବ୍ ଅସହାୟ ମନେ କରିଲା ସେ । ଶେଷରେ କ୍ରୋଧକୁ ମନ ଭିତରେ ଚାପି ପୂର୍ବବତ୍ ମୁଣ୍ଡ ନୁଆଁଇ ଗୃହାଭିମୁଖୀ ହେଲା। ମନରେ ଥିଲା ଭୟ - କାଳେ ପ୍ରତିବାଦ କରି ସେ ବି ବନିଯିବ 'ଅସୀମାରୁ ଅସିଫା'।

    (ତେଜସ୍ବିନୀ, ରୟତ କଲୋନୀ, ରାୟଗଡ)
    ©tejaswini_goutami